ମାନସିକ ଚାପରେ ଅଛନ୍ତି ବିଦ୍ୟା ଭାରତୀ, ବାପା ରଖିଲେ ଗଣମାଧ୍ୟମ ସାମ୍ନାରେ ଉତ୍ତର..

ବଲାଙ୍ଗୀର (ବସନ୍ତ ମେହେର ): ମାନସିକ ଚାପରେ ଅଛନ୍ତି ବିଦ୍ୟାଭାରତୀ। ଖାଲି ବିଦ୍ୟାଭରତୀ କାହିଁକି ପୂରା ପରିବାର ମଧ୍ୟ ଅନୁରୂପ ଭାବେ ମାନସିକ ଚାପରେ ରହିଛନ୍ତି। ଝିଅ ବିଦ୍ୟାଭାରତୀଙ୍କ ପରୀକ୍ଷା ପାଇଁ ବଲାଙ୍ଗୀର ଆସିଥିବା ତାଙ୍କ ବାପା ଶ୍ରୀହରି ପଣ୍ଡା ଏହା କହିଛନ୍ତି।
ବହୁଚର୍ଚ୍ଚିତ ମୃତ ସୌମ୍ୟଶେଖର ମହାପାତ୍ରଙ୍କ ପତ୍ନୀ ହେଉଛନ୍ତି ବିଦ୍ୟାଭାରତୀ ପଣ୍ଡା। ସେ ଏବେ ବଲାଙ୍ଗୀର ପ୍ରାଣୀଧନ ତାଲିମ କେନ୍ଦ୍ରରେ ଶେଷବର୍ଷର ପରୀକ୍ଷା ଦେଉଛନ୍ତି। ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ସେ ଚର୍ଚ୍ଚାରେ ରହି ଆସିଛନ୍ତି। ବୁଧବାରଠାରୁ ସେ ବଲାଙ୍ଗୀରରେ ରହି ତାଙ୍କ ଫାଇନାଲ ପରୀକ୍ଷା ଦେଉଥିବାବେଳେ ଗତକାଲି କିମ୍ବା ଆଜି ଗଣମାଧ୍ୟମ ସମ୍ମୁଖରେ ସେ କିଛି ମୁହଁ ଖୋଲିନାହାନ୍ତି। ତେବେ, ବିଦ୍ୟାଭାରତୀ ବଲାଙ୍ଗୀରରେ ରହି ପରୀକ୍ଷା ଦେଉଥିବାରୁ ପୂରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟସବୁ ପରୀକ୍ଷାର୍ଥୀ ହଷ୍ଟେଲରେ ରହି ପରୀକ୍ଷା ଦେଉଥିବାବେଳେ ସେ ବାହାରେ ରହି ଯିବାଆସିବା କରୁଛନ୍ତି। ଏକ ଧଳା ରଙ୍ଗର ଏକ କାର୍ରେ ବାପାଙ୍କ ସହ ବିଦ୍ୟାଭାରତୀ ଯିବାଆସିବା କରୁଛନ୍ତି। ତାଙ୍କ ସହ ପରୀକ୍ଷା ଦେଉଥିବା ଅନ୍ୟ କାହା ସହ ମଧ୍ୟ ସେ କଥାବାର୍ତ୍ତା କରୁ ନାହାନ୍ତି। ଚୁପ୍ଚାପ୍ ଆସି ପରୀକ୍ଷା ଦେଇ ଚାଲିଯାଉଥିବା ତାଙ୍କ ସହପାଠୀମାନେ ପ୍ରକାଶ କରିଛନ୍ତି।