କରୋନା ବେଡ଼ିରେ ବାନ୍ଧି ହୋଇଗଲା ରାବଣ ପୋଡ଼ି

ବାହାନଗା (ସାମ୍ୟ ସୌରଭ ରାଉତ ) : ଚାଲିଗଲା ବିଜୟା ଦଶମୀ। ପୁରାଣ ବର୍ଣ୍ଣିତ ଅନୁଯାୟୀ, ବିଜୟାଦଶମୀ ଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ଯୁଦ୍ଧରେ ପରାସ୍ତ କରିଥିଲେ। ମହାପରାକ୍ରମୀ ରାବଣ ଶ୍ରୀରାମଙ୍କ ଦ୍ୱାରା ନିହତ ହୋଇ ମୋକ୍ଷପ୍ରାପ୍ତି ଲାଭ କରିଥିଲା। ଏହି ସ୍କୃତିକୁ ଉଜାଗର କରିବା ପାଇଁ ରାବଣ ପୋଡ଼ି ଉତ୍ସବ ସାରା ଭାରତରେ ଆୟୋଜନ କରାଯାଇଥାଏ। ବାହାନଗା ଅଞ୍ଚଳ କୁ ଦୁର୍ଗାପୂଜା ଦେଖିବାକୁ ବିଭିନ୍ନ ଅଂଚଳରୁ ଲୋକଙ୍କ ସୁଅ ଛୁଟିଥାଏ, ମାତ୍ର ଗତ ବର୍ଷ ଓ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ପରିସ୍ଥିତି ସମୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣା ଅନୁଯାୟୀ ସମସ୍ତ ପୂଜା କମିଟି ପକ୍ଷରୁ ନିରାଡମ୍ବର ଦୁର୍ଗାପୂଜା ପାଳନ କରାଯାଇ ୪ ଫୁଟ ମୂର୍ତି ଅବା ଫଟୋ, ଘଟ ବସାଇ ପୂଜା ପେଣ୍ଡାଲ ଗୁଡ଼ିକରେ ଦୁର୍ଗାପୂଜାର ଆୟୋଜନ କରାଯାଉଛି।
ସେହିପରି ବିଜୟା ଦଶମୀ ଅର୍ଥାତ ଦଶହରା ଦିନ ରାବଣ ପୋଡ଼ି ଉତ୍ସବ କରୋନା କଟକଣା ଯୋଗୁ ଗତ ୨୦୨୦ ପରି ଚଳିତ ବର୍ଷ ମଧ୍ୟ ଆୟୋଜନ ହେବ ନାହିଁ। ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ରାବଣ ପୋଡ଼ି ଉତ୍ସବକୁ ସ୍ଥଗିତ ରଖାଯାଇଛି। ଫଳସ୍ୱରୁପ ଶହଶହ ବର୍ଷ ଧରି ପାଳନ ହେଉଥିବା ରାବଣ ପୋଡ଼ି ଉତ୍ସବର ପରମ୍ପରା ଉପରେ ଲାଗିଛି କାଳରୁପୀ କରୋନାର କଳା ନଜର! ରାବଣ ପୋଡ଼ି ଉତ୍ସବ ନହେବା ଯୋଗୁ ଏହା ବହୁ ଶ୍ରଦ୍ଧାଳୁଙ୍କ ମନ ଓ ହୃଦୟକୁ ଏକ ଶକ୍ତ ଆଘାତ ଦେଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।