୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ ଆପ୍ ର ସାମ୍ବାଦିକ ସମ୍ମିଳନୀ
1 min read
ଜଗତସିଂହପୁର-ଆମ ଆଦମୀ ପାର୍ଟି ଜଗତସିଂହପୁର, ଜିଲ୍ଲାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ଆରମ୍ଭ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜଗତସିଂହପୁର ପୌର ପରିଷଦର ସଂଯୋଜକ ଶେଖ୍ ଇନସାର ଉଦ୍ଦିନଙ୍କ ବାସଭବନରେ ଅନୁଷ୍ଠିତ ହେଇଥିଲା । ଏହା ପରେ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ହେଇଥିଲା। ଜିଲ୍ଲା ଆବାହକ ଅନୁପମା ସେଠୀ ଏହି ସମ୍ମିଳନୀକୁ ସମ୍ବୋଧନ କରି କହିଥିଲେ ଯେ ବିଜୁଳି ଏକ ମୌଳିକ ଆବଶ୍ୟକତା ଅଟେ। ଏହି ମୌଳିକ ଆବଶ୍ୟକତାରୁ ଯେପରି କୌଣସି ପରିବାର କିମ୍ବା ବ୍ୟକ୍ତି ବିଶେଷ ବଞ୍ଚିତ ନହେବେ, ସେଥିଲାଗି ଆମ୍ ଆଦମୀ ପାର୍ଟି ସଦା ସର୍ବଦା ପ୍ରୟାସରତ। ଦିଲ୍ଲୀର ଆପ୍ ସରକାର ବିଜୁଳି ଉତ୍ପାଦନ କରେ ନାହିଁ କିନ୍ତୁ ପଡ଼ୋଶୀ ରାଜ୍ୟ ମାନଙ୍କରୁ ବିଜୁଳି କିଣି ଜନ ସାଧାରଣଙ୍କୁ ମାଗଣାରେ ୨୪ ଘଣ୍ଟା ନିରନ୍ତର ବିଜୁଳି ଯୋଗାଇ ଚାଲିଛନ୍ତି। ଏହା ଦ୍ବାରା ବିଜୁଳି ବିତରଣ କମ୍ପାନୀର କୌଣସି ପ୍ରକାର ଆର୍ଥିକ କ୍ଷତି ନସହି ସେମାନେ ଲାଭରେ ଚାଲିଛନ୍ତି। ଅପରପକ୍ଷେ ଓଡ଼ିଶା ଏକ ବିଜୁଳି ଉତ୍ପାଦନକାରୀ ବଳକା ରାଜ୍ୟ ହେଇଥିଲେ ମଧ୍ୟ ଓଡ଼ିଶା ବାସୀ ବିଜୁଳି ବ୍ୟବହାର ବାବଦକୁ ମାସିକ ବହୁତ୍ ପଇସା ଖର୍ଚ୍ଚ କରିବାକୁ ପଡିଥାଏ। ଓଡ଼ିଶା ସରକାର ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ନିମନ୍ତେ ଅତି କମ୍ ରେ ୨୦୦ ୟୁନିଟ ବିଜୁଳି ଯୋଗାଇଦେବା ପରିବର୍ତ୍ତେ ବର୍ଷକୁ ବର୍ଷ ବିଜୁଳିର ଦର ବଢେଇ ଚାଲିଛନ୍ତି।
ବିଜୁଳି ଆନ୍ଦୋଳନକୁ ଜିଲ୍ଲାର ପ୍ରତି ଗାଁରେ ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚେଇବା ପାଇଁ ଜିଲ୍ଲା ଆବାହକ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ଅଭିଯାନର ସମୟ ଅବଧି ଦୁଇ ମାସ ସ୍ଥିରୀକୃତ ହୋଇଛି । ଏହି ଦୁଇମାସ ମଧ୍ୟରେ ଆପ ଜଗତସିଂହପୁର ଜିଲ୍ଲାର ସମସ୍ତ କର୍ମକର୍ତ୍ତା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ ଉଲ୍ଲେଖିତ ଥିବା ଦାବିପତ୍ରକୁ ନେଇ ଘରକୁ ଘର ଯିବେ ଏବଂ ଦସ୍ତଖତ ଅଭିଯାନ ସମ୍ପୂର୍ଣ୍ଣ କରିବା ପରେ ସଂଗୃହିତ ସମସ୍ତ ଦାବିପତ୍ରକୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ଆବାହକ ମିସ୍ ଅନୁପମା ସେଠୀ ସୂଚନା ପ୍ରଦାନ କରିଥିଲେ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର,ନାଉଗାଁ ବ୍ଲକର ସଂଯୋଜକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପ୍ରଧାନ, ଯୁବ ସଭାପତି ବିଭୂତି ଭୂଷଣ ସ୍ୱାଇଁ, ଉପ ସଭାପତି ବିନୋଦ ସାହୁ, ଜଗତସିଂହପୁର ପୌର ପରିଷଦର ସଂଯୋଜକ ଶେଖ୍ ଇନସାର୍ ଉଦ୍ଦିନ ଏଵଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସାମିଲ ଥିଲେ।
ପ୍ରକାଶ ଥାଉକି ଆପ ଶାସିତ ଦିଲ୍ଲୀ ରାଜ୍ୟ ଏକ ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ ନହୋଇ ମଧ୍ୟ ଏହାର ବିଦ୍ୟୁତ ଉପଭୋକ୍ତା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଥାନ୍ତି ଏବଂ ପଞ୍ଜାଵ ରେ ୩୦୦ ୟୁନିଟ ଦେୟମୁକ୍ତ ବିଜୁଳି ପ୍ରଦାନ କରିବା ପାଇଁ ଆପ ପ୍ରତିଶ୍ରୁତିବଦ୍ଧ।ଏହି ଦାବୀକୁ ନେଇ ଗତବର୍ଷ ଆପ ଓଡିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ୭-ଏପ୍ରିଲ ରୁ ୧୦ ଦିନ ପର୍ଯ୍ୟନ୍ତ ଆମରଣ ଅନଶନ କରିଥିଲେ। ଏହାକୁ ବିଜେପି ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ବିରୋଧୀ ଦଳ ସମର୍ଥନ କରିଥିଲେ।ମାତ୍ର କରୋନାର ଭୟାବହତା ଏବଂ ଆପ ମୁଖ୍ୟ ଶ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନୁରୋଧ କ୍ରମେ ଏହାକୁ ସ୍ଥଗିତ ରଖାଯାଇଥିଲା ବୋଲି ମିସ୍ ସେଠୀ କହିଛନ୍ତି ।

