ବୋଧେଇ ଜବାହର ସ୍ମୃତି ବିଦ୍ୟାପୀଠରେ ନିଆରା ବନ୍ଧୁ ମିଳନ ଉତ୍ସବ
1 min read
ଜଗତସିଂହପୁର (ମାନସ କୁମାର ସୂତାର):-ଦୀର୍ଘ ୩୦ବର୍ଷ ତଳେ ବିଦ୍ୟାଳୟରୁ ପାଠପଢା ଶେଷ କରିଥିବା ପୁଅ-ଝିଅ ସାଙ୍ଗମାନେ ବିଦ୍ୟାଳୟ ପରିସରରେ ଏକାଠି ହେବା, ସେତେବେଳର ଓ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ଦିବଂଗତ ଶିକ୍ଷକ ଓ ସହପାଠୀ ମାନଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଓ ପୂଜ୍ୟପୂଜା ପରମ୍ପରାକୁ ପାଥେୟ କରି ବନ୍ଧୁମିଳନ ପର୍ବ ପାଳନ କରିବା ପରି ଏକ ନିଆରା ସମାରୋହ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବୋଧେଇ ସ୍ଥିତ ଜବାହାର ସ୍ମୃତି ବିଦ୍ୟାପିଠ ପରିସରରେ।
ବୋଧେଇ ଜବାହାର ସ୍ମୃତି ବିଦ୍ୟାପିଠର ୧୯୯୨ ମସିହା ମେଟ୍ରିକ ବ୍ୟାଚ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଦ୍ୟାଳୟ ପରିସରରେ ନିଆରା ଢଙ୍ଗରେ ବନ୍ଧୁମିଳନ ଉତ୍ସବ ପାଳନ କରାଯାଇଛି।୩୦ବର୍ଷ ତଳର ସ୍ମତିକୁ ମନେପକାଇବା ପାଇଁ ସମସ୍ତ ଛାତ୍ରଛାତ୍ରୀ ହଳଦୀ ରଙ୍ଗର ପୋଷାକ ପରିଧାନ କରିଥିଲେ।ଦିବଂଗତ ଶିକ୍ଷକ ଓ ସହପାଠୀ ମାନଙ୍କ ସଜ୍ଜିତ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିରବ ପ୍ରାର୍ଥନା କରିଥିଲେ।ଦୂରଦୂରାନ୍ତରୁ କର୍ମମୟ ଜୀବନରୁ ସମୟ କାଢି ବିଦ୍ୟାଳୟରେ ଏକାଠି ହୋଇଥିବା ତତ୍କାଳୀନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସେମାନଙ୍କୁ ପାଠପଢାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଶ୍ରୀ ଦେବେନ୍ଦ୍ର ସାହାଣୀ,ସମୀର କୁମାର ପଟ୍ଟନାୟକ, ସୁଧୀର କୁମାର ରାଉତ, ନିହାରବାଳା ଜେନା ଓ ଅଣଶିକ୍ଷା କର୍ମଚାରୀ ଧୀରେନ୍ଦ୍ର ଖୁଣ୍ଟିଆ ଓ ଜଗବନ୍ଧୁ ପରିଡାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମାରୋହରେ ସଭାପତିତ୍ୱ କରିଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ମଲ୍ଲିକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।୧୯୯୨ ମସିହା ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ତପନ,ବଳରାମ, ବିଭୂତି, ଚିତ୍ତ,ବିକ୍ରମ, ଭଗବାନ, କୃତିବାସ,ସୁନିଲ, ସୁଧାଂଶୁ, ରଞ୍ଜନ, ରାଜୁ,ନଳିନୀ, କିରଣ, ମଞ୍ଜୁ, ସବିତା, ସରିତା ଓ ତମସା ପ୍ରମୁଖଙ୍କ ସଂଯୋଜନା ଓ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସେତେବେଳର ଅନୁଭୂତି ବଖାଣି ସ୍ମତିକୁ ମନେପକାଇଥିଲେ।ବନ୍ଧୁମିଳନ ଉତ୍ସବ ପରେ ଦିବଂଗତ ସହପାଠୀ ମାନଙ୍କ ପରିବାରକୁ ଭେଟି ଆର୍ଥିକ ସହାୟତା ସହ ସମବେଦନା ଜଣାଇବା ପରି ମହତ କାର୍ଯ୍ୟ ଦେଖିବାକୁ ମିଳିଥିଲା।ସେଦିନର ସ୍ମତିକୁ ମନେପକାଇ ପାଳନ କରାଯାଇଥିବା ନିଆରା ବନ୍ଧୁମିଳନ ଉତ୍ସବ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ହେବ ବୋଲି ଆୟୋଜକ ଓ ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକାଶ କରିଥିଲେ।
:

